ସୁମିତ୍ ପଣ୍ଡାଙ୍କ କବିତାର ଦୁଇଟି ମୁଖ୍ୟ କାବ୍ୟଗୁଣ: ମିତ୍ରତା ଓ ମିତବ୍ୟୟିତା। ତାଙ୍କ କବିତାର ଶିରାପ୍ରଶିରାରେ ଥାଏ ମିତ୍ରଦୃଷ୍ଟିର ପ୍ରବାହ ଏବଂ ଶବ୍ଦଖଂଜାରେ ସେ ଖୁବ୍ ମାପଚୁପ୍, ମିତବ୍ୟୟୀ ଓ ସଂଭ୍ରମ। ସେଥିପାଇଁ ତାଙ୍କ କବିତା ପଢ଼ିଲାବେଳେ ଝାଉଁଳିପଡ଼ିଥିବା ମନ ତଳର ଡାଳପତ୍ର ଚେଇଁଉଠନ୍ତି। ଆଶା ଜାଗେ। ବିଶ୍ୱାସ ଡିଆଁମାରେ। ଅଟକିଯାଇଥିବା ସଂପର୍କର ଡଙ୍ଗାରେ ଆହୁଲା ଶୁଭେ ଚପାକ୍ ଚପାକ୍। ସତ୍କବି ପ୍ରତିକୂଳ ପାଗରେ ସଂଭାବନାର ଚାରା ପୋତେ, ଦୁଃସ୍ଥିତିର ଗାମଲାରେ ଆସ୍ଥାର ଫୁଲଫୁଟାଏ, ହାହାକାର ଦେହରେ ହଳଦୀ ବୋଳି ତାକୁ ପିନ୍ଧାଏ ନୂଆ ଉତ୍ସାହର ସିଫନ୍ ଶାଢ଼ି। ସୁମିତ୍ ପଣ୍ଡାଙ୍କ ଚେହେରା ଓ ଚରିତ୍ର ଭିତରେ ସେଇ ସତ୍କବିକୁ ମୁଁ ଭେଟେ ଓ କବିତାରେ ତାଙ୍କ ଅବଧୂତପଣର ଆଭାସ ପାଏ। କବିତା ସଂକଳନ ‘କେଜାଣି କାହା ଅପେକ୍ଷାରେ’ ଜୀବନର ସବୁ ଅଥୟତା ଭିତରେ ଥିରପଣର କଥା କହେ, ମର୍ମାହତ ମନକୁ ଯାଚେ ମୁନ୍ଦାଏ ପ୍ରେମର ପାଣି, ପ୍ରତ୍ୟୟର ତୋରାଣି। ଗୀତ, ଗଜଲ ଓ କବିତାର ପରିଧି ଭିତରେ ସୁମିତ୍ ଥାଆନ୍ତୁ ଏକ ଅନ୍ତସ୍ଥ ବିନ୍ଦୁ ହୋଇ ଓ ସମୟକୁ ସାଉଁଳୁଥାଆନ୍ତୁ ନିଜ ମିତପଣରେ, କାମନା।
Kejani Kaha Apekhyare | କେଜାଣି କାହା ଅପେକ୍ଷାରେ | ସୁମିତ୍ ପଣ୍ଡା | କବିତା ସଂକଳନ
Publisher : Timepass
First edition : 2021
Paperback : 104 pages
Language : Odia
Reading age : 18 years and up
Country of Origin : India